Thursday, November 30, 2017

|| ଭକ୍ତ ପ୍ରେମୀ ଭଗବାନ ||

ଦର୍ଶନ ତତ୍ତ୍ୱକୁ   ଦାର୍ଶନିକ ଖୋଜେ
ବିଜ୍ଞାନ ଖୋଜେ ପ୍ରମାଣ,
ସୌନ୍ଦର୍ଯ୍ୟ ପିପାସୁ କବି କଳାକାର
ଭାବ ଖୋଜଇ ଭାବୁକ ପ୍ରାଣ।
ଶିକ୍ଷାର ମହତ୍ଵ  ଶିକ୍ଷିତ ଜାଣଇ
ଶାସ୍ତ୍ର ବୁଝନ୍ତି ବିଦ୍ୱାନ୍,
ଦାନର ମହିମା  ଜାଣେ ଦାନୀ ଜନ୍
ଗୁଣ ବୁଝେ ଗୁଣବାନ୍ ।।

ସତ୍ୟର ମହତ୍ଵ  ସଜ୍ଜନ ଚିହ୍ନନ୍ତି
ପ୍ରେମୀ ଜାଣେ ପ୍ରେମ ରତ୍ନ,
ଦୟାବାନ୍ ବୁଝେ ଦୟା ମୂଳ ତତ୍ତ୍ଵ
ସାଧୁ  ଚିହ୍ନଇ   ସାଧକ ମନ
ଆତ୍ମା ପରମାତ୍ମା ଚିହ୍ନନ୍ତି ମହାତ୍ମା
ସନ୍ୟାସୀ ଖୋଜେ କାନନ,
ସ୍ରଷ୍ଟା ସୃଷ୍ଟିର ଖୋଜନ୍ତି ହୃଦୟ
ଭକ୍ତ ପ୍ରେମୀ ଭଗବାନ।

|| ବସୁଧୈବ କୁଟୁମ୍ବକମ୍ ||

ବିଚାରଧାରା'ର ବିପରୀତ ପ୍ରୀତି
ଲକ୍ଷ୍ୟହୀନ ଅନନ୍ତ ପ୍ରସ୍ତୁତି
ମୁହ୍ୟମାନ ମାନବବାଦର
ଋଗ୍ଣ , କରୁଣ ପରିଣତି .....
ଲିପିବଦ୍ଧ ହୁଏ ତାଜା ଲହୁରେ
ଯାହାର ଶୀର୍ଷକ....
ଆତଙ୍କବାଦର ଦୁଃଖଦ ଇତିବୃତ୍ତି ।

ଅଘୋଷିତ ସ୍ବାର୍ଥବାଦର
ଲେଲିହାନ୍ ଶିଖାତଳେ
ଗର୍ଜିଉଠେ ଅହଂବାଦ ..,
ଶୈଶବର ହାହାକାର 
ତାରୁଣ୍ୟର ତପ୍ତଲୁହ ଧାର
ଧୋଇନିଏ...........
କଳ୍ପିତ ରାମରାଜ୍ୟ ,
ଉତ୍ କ୍ଷିପ୍ତ ଗଣତନ୍ତ୍ରର ଚତୁଃସ୍ତମ୍ବ
ଧରାଶାୟୀ ହୁଏ....
ଭସ୍ମାସୁରର ଭୂଜବଳେ
ପ୍ରତିଶୋଧର ବାଡ଼ବାଗ୍ନି ଦେଇ ।

ପ୍ରତିକାର .......??
ଜାତି,ଧର୍ମ, ବର୍ଣ୍ଣର ମରୀଚିକା ଛାଡ଼ି
ଆଚରିବା ମନ୍ତ୍ର
"ବସୁଧୈବ କୁଟୁମ୍ବକମ୍ "...।।

|| ଧର ଧରରେ ||

ଧର ଧରରେ...... ତାକୁ ଧର
ଧନ ନେଲା , ତନ ନେଲା ମନ ନେଲା ମୋର (!)
ଧର ଧରରେ..........
ଦୁଃଖ ନେଲା, ସୁଖ ନେଲା
ଭାବିଲାନି ପର..,
ଶାନ୍ତି , ପ୍ରୀତି ,ପ୍ରେମ ଦେଇ
କରିଲା ନିଜର ...
ଧର ଧର ରେ........ 
ଜନ୍ମ ଜନ୍ମାନ୍ତର ସାଥୀ
ସେ ଏକା ମୋହର ,
ତା ବିନା ମାୟା ସଂସାର
ଲାଗେ ସୁନ୍ଦର 
ଧର ଧର ରେ.......

ବଡ଼ ନଟଖଟିଆ ସେ
ଲଗାଏ ହୁନ୍ଦର ,
ବୁଝି ମଣିଷ ତା'ରେ
କରେ ହତାଦର...
ତଥାପି ଧରିଥାଏ ହାତ
ସଜାଡ଼ି ମାନ ମହତ....
ଯେଣୁ ସୃଷ୍ଟି ତା' ନିଜର ,
ଧର ଧର ରେ........।।

|| ମୁଁ ଖୋଜେ ||

ମୁଁ ଖୋଜେ.....
ତୁମେ ଖୋଜ,
ସେ ସେମାନେ ବି ଖୋଜନ୍ତି.....
ଯେମିତି ଏକ ନିଶା!
ଯେତେ ପ୍ରତୀକ୍ଷା 
ସେତେ ଅବଶୋଷ...ଗ୍ଲାନି
ସେତେ ନିରାଶା....
ପରସ୍ପରର ନିକଟେ ଥାଇ ବି 
ବୁଝି ହୁଏନା......
ଜୀବନର ଅଡ଼ୁଆ ଛନ୍ଦ;
ଜାଣି ହୁଏନା.....
ସଂସାରର ମାୟିକ ଦ୍ୱନ୍ଦ !
ସମ୍ପର୍କର ଗୋଲକଧନ୍ଦାରେ
ଛଟପଟ ମଣିଷ,
ସାହାରା ଖୋଜେ,
ଆଶ୍ରୟ ଖୋଜେ....
ଅଜଣା, ଅଚିହ୍ନା ଅଲୋଡ଼ା ଦର୍ଶନର...
ତଥାପି ବୁଝେନା ମନ (?)
ବିରହୀ ହୃଦୟ...
ଛୁପିଛୁପି  ଝୁରେ ନିଶିଦିନ
ଏଇତ ପାଣ୍ଡୁଲିପି
ନିୟତି ନିକିତିରେ 
ହିସାବ ହୁଏ ...
ସତେକି ବଞ୍ଚିବାଟା ....
ନିହାତି ମୂଲ୍ୟହୀନ

||ଜୀବନର ନିଗୂଢ଼ ଦର୍ଶନ||

ମାଟି........
ସ୍ମୃତି ଆମ ସ୍ନେହ ମମତାର
ପ୍ରେମ ଆଉ ଶୁଦ୍ଧ ସଦ୍ଭାବନାର,
ଗନ୍ଧ ତା' କରେ ପୁଲକିତ
ଯେତେ ଅମାନିଆ...
ଅଫେରା ଅତୀତ
ନଈ.......
ସାକ୍ଷୀ ଆମ ସ୍ୱର୍ଣୀମ କୈଶୋରର ,
କଳକଳ ନିନାଦିତ ମଧୁର ତା ସ୍ୱନ,
ଗାଇଯାଏ...
ଆନନ୍ଦ ଉଲ୍ଲାସଭରା 
ଆମ ଜୀବନ ସଙ୍ଗୀତ
ବଣ..........
କ୍ରୀଡାଭୂମି ଆଦ୍ୟ ବସନ୍ତର,
ନିଦାଘ ବୈଶାଖର ନିର୍ମମ ଆହ୍ୱାନ
ହୁଏ ପରାଭୂତ
ଶାନ୍ତ ସ୍ନିଗ୍ଧ, ଶୀତଳ ସମୀରେ 
ଚୂତ ଡାଳେ ଶୁଭେ..
ଯୌବନର କୁହୁ କୁହୁ ତାନ
ସମୟ.......
କିନ୍ତୁ ବଡ଼ ନିଦାରୁଣ
ଭୁଲିବାକୁ ବାଧ୍ୟ କରେ ...
ଫୁଲର ଫଗୁଣ
ଆଉ.....
ବିଛେଦର ମଧୁର କ୍ରନ୍ଦନ (!!)
ବୃଥା ଟାଣ , ବୃଥା ପଣ
ବୃଥା ମାନ ଅଭିମାନ
ଭୁଲୁଣ୍ଠିତ ହୁଏ,
ସ୍ପର୍ଶ ତା' କରେ ଉଜ୍ଜୀବିତ
ଜୀବନର ନିଗୂଢ଼ ଦର୍ଶନ