Tuesday, August 7, 2018

ଦୀକ୍ଷାନ୍ତ କଥୋପକଥନ

ପିତା- ଶୁଣି ଯାଅ ବ୍ରହ୍ମଚାରୀ..
         ବ୍ରହ୍ମ ସନ୍ଧାନରେ ଭ୍ରମି ଯାଅ କେଣେ
         ଆତ୍ମୀୟ ଜନେ ପାଶୋରି...??
ପୁତ୍ର-  ଅସାର ଦୁନଆଁ   ରୋଗ ଶୋକ ଭରା
                 କେହି ନୁହେଁ ଆପଣାର ,
         ସ୍ୱାର୍ଥୀ ମଣିଷର    ଛଳନାର ଅଶ୍ରୂ
                  ଝରେ ଏଠି ନିରନ୍ତର ।
                  ହେ ମୋର ଜନ୍ମଦାତା......
         କହି କି ପାରିବ      କାହିଁକି ମାନବ
                   ପାଳେ ନାହିଁ ନୀତି କଥା ...?
ପିତା-  ନୀୟତି 'ର ନୀତି    ରୋଗ , ଶୋକ, ପ୍ରୀତି
                   ଦୁଃଖ-ସୁଖ ର ସଂସାର,
          ଭାଙ୍ଗିବା ଗଢ଼ିବା      ଘଟେ ଘଟାନ୍ତରେ
                   ଶୂନ୍ୟମୟ  ଅଗୋଚର ।
                   ସାକ୍ଷୀ ହୁଏ ଯେ ନିଜ କର୍ମ ର...
           ଆନନ୍ଦ ସାଗରେ     ହୁଏ ପ୍ରକ୍ଷାଳିତ
                    ଜନମ ସାର୍ଥକ ତା'ର ।
ପୁତ୍ର-  ଅବୋଧ ବାଳୁତ      ସନ୍ତାନ ତୁମର 
                    ଜାଣେନା ଏ ଗୂଢ କଥା ,
          ଲୁହ , ଲହୁ ଯେବେ    ମାନବ'ଠୁ ଝରେ
                     ମନେ ଦିଏ ବଡ଼ ବ୍ୟଥା ।
                      ବିଳପି ଉଠେ ହୃଦୟ.......
          ସନ୍ତାପିତ ପ୍ରାଣ          ସମାଧାନ ଖୋଜେ
                     ପଦେ ପଦେ ତୁଟେ ଲୟ ।
ପିତା -  ଜାଗ୍ରତ ମାନବ       ସ୍ଥିତପ୍ରଜ୍ଞ ଭାବ
                     ଅବିଚଳ ପ୍ରତି କର୍ମେ ,
           ଆତ୍ମାମେଳେ ଥାଇ     ପରମାତ୍ମା ରମେ
                     ଲକ୍ଷ୍ୟ ତା' ପରମ ଧାମେ ।
                    ବିତରି ଜ୍ଞାନର ଜ୍ୟୋତି.....
           କୋଟି କୋଟି ଦୀପ     ପ୍ରଜ୍ଜ୍ଵଳିତ କରେ
                     ସ୍ମରଣୀୟ ତା'ର ସ୍ମୃତି  ।
ପୁତ୍ର -  ହେ ମୋ ପ୍ରାଣଦାତା     ଜୀବନ୍ତ ଦେବତା
                    ତତ୍ତ୍ଵ ଦେଇଛ ବତାଇ ,
           ସଦ୍ଜ୍ଞାନ, ସତ୍ କର୍ମେ     ନିୟତ ଚାଲିବି
                     ବାଟ ମୁଁ ହୁଡିବି ନାହିଁ ।
                    ପଦ୍ମ ପତ୍ରେ ଯେହ୍ନେ ଜଳ....(!)
            ଥାଇ ସେହି ଭାବେ       ସଂସାରେ ରମିବି
                  ଚିର ଆଶ୍ରୟ (ତବ) ପଦ ଯୁଗଳ ।।
ପିତା - ଯଶସ୍ଵୀ ... ଭଵଃ  ।
               (ମୋର ଏକମାତ୍ର ପୁତ୍ର ଶ୍ରୀମାନ ସୁବ୍ରତ
          ଶତପଥୀ 'ର ବ୍ରତୋପନୟନ ଉପଲକ୍ଷେ..)
                              -ସୁବାଷ ଚନ୍ଦ୍ର ଶତପଥୀ

ବିଶ୍ଵ ମାତୃ ଦିବସ ଉପଲକ୍ଷେ ଗୋଟିଏ ମାଆ ର ଖେଦ୍ୟୋକ୍ତି

ପ୍ରେକ୍ଷାପଟେ ପ୍ରତୀକ୍ଷିତ ପ୍ରତାରଣା
ପ୍ରାଣଘାତୀ ପ୍ରସୂତି ଯନ୍ତ୍ରଣା..!
ଘୂରିବୁଲେ ନିଘଞ୍ଚ ଇଲାକାରେ
ଖୋଜିବୁଲେ 
ପ୍ରିୟ ପରମଙ୍କୁ .....
କଥାଦେଇ ଭୁଲି ଯାଇଥିବା
ମନର ମଣିଷକୁ ।
ମାତୃତ୍ୱ ବିଳାପ କରେ
ବିରାମ ବିହୀନ,
ବାତ୍ସଲ୍ୟ ବିଗଳିତ 
ବିଦଗ୍ଧ ବ୍ୟଥାରେ....।
ପରିଚୟ ଆଢୁଆଳେ
ପ୍ରଶ୍ନ କରେ......
ପ୍ରବଞ୍ଚକ , ପ୍ରତାରକ 
ଭଣ୍ଡ ସମାଜକୁ....(????)
କାଗଜ କଲମରେ
ସୁରକ୍ଷା ବ୍ୟବସ୍ଥିତ୍ କରୁଥିବା
ଅବିଶ୍ୱାସୀ , ମାଂସାଶୀ 
ରାହୁଗ୍ରସ୍ତ ମଣିଷଗୁଡ଼ାଙ୍କୁ ..!!
ନାଁ........ ଆଉ ନୁହେଁ
"ତୋ ପାଇଁ ମୁଁ
ଆଉ....
ମୋ ପାଇଁ ତୁ  "...
ପରିପୂରକତାର ପୃଷ୍ଠଭୂମିରେ
ମୁଁ ବି ସନ୍ୟାସିନୀ ହେବି (!)
ପରଖିବି ତୋର ଧୈର୍ଯ୍ୟ...
କାଳୀ ସାଜି ଧ୍ୱଂସ ମୁଁ ରଚିବି
ଦେଖିବି ତୋ...
ଶୌର୍ଯ୍ୟ' ର ଚମକ ।
(ବିଶ୍ଵ ମାତୃ ଦିବସ ଉପଲକ୍ଷେ
ଗୋଟିଏ ମାଆ ର ଖେଦ୍ୟୋକ୍ତି)

ତୋ ମହାନତା ମହନୀୟ କରିଥିଲା ମୋତେ

ତୋ ମହାନତା 
ମହନୀୟ କରିଥିଲା ମୋତେ
କାହିଁ କେତେକାଳୁ 
ଶୂନ୍ୟତାର  ନିଃଶବ୍ଦ କୋଳରୁ ....
ତୋ ଗର୍ଭରେ ଆଶ୍ରିତ ହେଲାପରେ ଅସଜଡା ଶବ୍ଦ ସବୁ
ସଂଯୋଜନ ନିଶାରେ
କବିତାର କମନୀୟ ରୂପ ନେଇ
ସଞ୍ଚାରିତ ହେଉଥିଲା ପ୍ରତିଟି
ଭାରାକ୍ରାନ୍ତ ଦୁଃଖଦ ହୃଦରେ ।
କିନ୍ତୁ ...... ହଠାତ୍....
ସବୁକିଛି ହୋଇଲା ନିଃସ୍ଫ୍ରଭ
ପଦ ସବୁ ଭୁଲିଗଲେ ଛନ୍ଦ !
ଫୁଲମାନେ ସାଉଁଟିଲେ
କୁତ୍ରିମତାର ଅବାଞ୍ଛିତ ଗନ୍ଧ !!
କାହିଁକି କେଜାଣି
ତୁ ଭୁଲିଗଲୁ ନିଜକୁ  ??
ମୁଁ କିନ୍ତୁ ଝୁରୁଥିଲି
ଖୋଜୁଥିଲି.........
ଝୁଣ୍ଟିଲା ପରେ ବି ଧାଉଁଥିଲି
କାଳେ ତୋ ମାଟି ସରସର
ଆତ୍ମୀୟତା ପରିପୂର୍ଣ୍ଣ
ପଣତର ଗନ୍ଧ.. ଭେଟ ହେବ
କେଉଁ ଏକ ଚିହ୍ନା ଚିହ୍ନା
ଗୋଧୂଳି ଲଗ୍ନରେ....।
(ପଥହରା ପୁତ୍ରର ପଥଶ୍ରାନ୍ତ
ବ୍ୟଥାତୁର କଥନ ......)

କି ବିଚିତ୍ର ତତ୍ତ୍ଵ ସତେ..!

କି ବିଚିତ୍ର ତତ୍ତ୍ଵ ସତେ..!
ଜିଇଁବାର କୌଶଳକୁ ଭୁଲି 
ଭୟାତୁର ମଣିଷ....
ବ୍ୟାକୁଳିତ, ବ୍ୟତିବ୍ୟସ୍ତ
ମୃତ୍ୟୁସଂଗ୍ୟା ଖୋଜିବୁଲୁ ଥାଏ !
ସୃଷ୍ଟିକରେ କାହାଣୀ, କିମ୍ବଦନ୍ତୀ
ଆଖ୍ୟାୟିକାର ସାହାରାରେ,
ଗଢେ ନିତି ଭସ୍ମାସୁର ପୁର (!!)
ଅମୃତର ପ୍ରୀତି ଭୁଲିଯାଏ..!!
*****
"ଜୀବନ ଏକ ଅନ୍ତହୀନ ଯାତ୍ରା
ସମୟକୁ ଅତିକ୍ରାନ୍ତ କରି.....
ଜୀବ ଅଟେ ସେ ପଥ'ର ଯାତ୍ରୀ
ପଞ୍ଚଭୂତ ଯାଏ ଅପସରି ।"

ଐକାନ୍ତିକତାର ଅନୁଭୂତି

ଐକାନ୍ତିକତାର ଅନୁଭୂତି
ନିଆରା, ନିବିଡ ସେ ସ୍ମୃତି..
ବିମୁଗ୍ଧ, ବିଲକ୍ଷଣ ମୁହୂର୍ତ୍ତରେ
କେବେ ଆଲିଙ୍ଗନ
କେବେ ସମ୍ମୋହନ ....
କେବେ କେବେ ମନଛୁଆଁ ପ୍ରୀତି ।
ସାଧନାର କ୍ଷେତ୍ର ସ୍ରଷ୍ଟା ପାଇଁଁ..
ଯନ୍ତ୍ରଣାକୁ ପାରେ ସେ ଭୁଲାଇ,
ପାର ଯଦି.......
ମମତାର ପୁଜା ଥାଳି ନେଇ
କର ଗୋ ଅର୍ଚ୍ଚନା ,
ଶୁଦ୍ଧ ହେବ ହୃଦ ପଦ୍ମବନ 
ଶାନ୍ତ ନୀରେ ହୋଇ ପ୍ରକ୍ଷାଳିତ
ନିର୍ବାଣ କୁ ଯିବା ନିଶ୍ଚେ ଛୁଇଁ ।

ଭାବନାର ଉର୍ଦ୍ଧ୍ୱରେ

ଭାବନାର ଉର୍ଦ୍ଧ୍ୱରେ
ଜୀବନର ଅସଲ ସ୍ୱରୂପ
ବେଳେ ବେଳେ ବୁଝି ହୁଏନା
ବଞ୍ଚିତ ହୁଏ ଆତ୍ମାନନ୍ଦ ଆନନ୍ଦରୁ 
ଛନ୍ଦି ହୁଏ ଗୋଲଖ ଧନ୍ଦାରେ....
ସ୍ଵପ୍ନ ସବୁ ଲୁଚକାଳି ଖେଳେ
ବାସ୍ତବତାର ନିର୍ମମ ଅଗଣାରେ ।
କାହା ପାଇଁ ଲୁହ.....
କାହାପାଇଁ ସୁଖର ପସରା..??
କାହାପାଇଁ ଅଧୀର ତୁ ....
କାହାପାଇଁ ଖୋଜୁଛୁ ସାହାରା ..?
ଖେଳ ଚାଲେ ଅଜଣା ଇଙ୍ଗିତେ
ପରିଚୟ ସଦା ନୂଆ ନୂଆ ,
ବାଟ ବଣା ବାଟୋଇ ବାହୁନେ
ଦୁଃଖେ ଯେବେ ପୂରିଉଠେ ହିଆ ,
ଏଠି ଶାନ୍ତି ବି ଅଲୋଡ଼ା...
ତୃପ୍ତି ତପେ ତୋଷ ନୁହେଁ କେହି
ଦେଖ ବନ୍ଧୁ ମଡା ବି ହସୁଛି..(!)
ସାହା ଶ୍ମଶାନର ଯୁଇ .....(!!!)

ଦୁଃଖ....ଶବ୍ଦରେ ନ ଥାଏ

ଦୁଃଖ....
ଶବ୍ଦରେ ନ ଥାଏ
ଥାଏ ...ଭାବନା, ମନୋବୃତ୍ତିରେ
ସୁଖ......
ଠିକ୍ ସେମିତି
ଥାଏ ଆବେଗର ଜୁଆରରେ ।
କିନ୍ତୁ...
ଆନନ୍ଦ...??
ସବୁଠାରୁ ଉର୍ଦ୍ଧ୍ବରେ
ଥାଏ ନିର୍ଲିପ୍ତ , ନିରାସକ୍ତ
ପ୍ରେମମୟ ହୃଦୟରେ ।
ମନ ଆମର...
ହୃଦୟ ବି...
କାହାର ହାତ ଟେକା ଚାହୁଁନା
ନା...ଅନୁସରଣ ଉପଦେଶ ,
ସମୟର ଉର୍ଦ୍ଧ୍ବରେ
ଅସୁମାରୀ ସ୍ୱପ୍ନ..(!)
ପାଖରେ ନିର୍ମମ ବାସ୍ତବ..
ତୁମେ ଆସ କି ନ ଆସ
ମୁଁ କିନ୍ତୁ....
ସୁପ୍ତ ସମାଧିରେ ......(????)

ତୁମ କଳାର କାଉଁରୀ ସ୍ପର୍ଶରେ

ତୁମ କଳାର କାଉଁରୀ ସ୍ପର୍ଶରେ 
ସାଜିଛି ମୁଁ ଅବିର ପିତୁଳା..
ଅଶକ୍ତ ଶରୀର ମୋର
ରେଣୁମୟ........
ସ୍ଵଭାବେ ସରଳା ।
ତଥାପି....
ସ୍ଵାଭିମାନୀ ,ଦାମ୍ଭିକ ପଣିଆ 
ଆସ୍ଫର୍ଦ୍ଧ। କରେ  ,
ମାପିବାକୁ ଝଡ଼ର ଝଙ୍କାର (!)
ଅଣ୍ଟାଭିଡେ ତୁମରି ଇଛାରେ 
ଧୂଳିସାତ କରିବାକୁ
ଅତ୍ୟାଚାରୀ , ବ୍ୟଭିଚାରୀ
ବଳାତ୍କାରୀ ଭ୍ରଷ୍ଟ ,ଭଣ୍ଡ ମଣିଷର।
ନିର୍ଣ୍ଣାୟକ ନିଷ୍ପତ୍ତି ମୋ
ରଙ୍ଗିବାକୁ ତପ୍ତ ହୋଲି ରଙ୍ଗେ
ହେବି ପଛେ ଅପବିତ୍ର
ଲାଗୁପଛେ କଳଙ୍କର ଛିଟ।...
ମାଆ ପାଇଁଁ, ମାଟି ପାଇଁ
ପଞ୍ଚଭୂତେ ହେବି ଲୀନ 
ସାର୍ଥକ ହେବ
ଛାର ଏ ମାଟିପିଣ୍ଡ ଗୋଟା ।

ସମୟର ଶବ୍ଦ.....!!

ସମୟର ଶବ୍ଦ.....!!
ସୁପ୍ତ ମନ ଅଗଣାରେ 
ଶବ୍ଦାୟିତ କରେ
ଭାବାବେଗ ହୁଏ ସଞ୍ଚାରିତ
ସୂର୍ଯ୍ୟାସ୍ତ ପର ଘନ ତିମିରରେ ।
କାହାର ଏ ସୁନାଦିତ ସ୍ଵନ ?
କାହାର ଏ ମାର୍ମିକ ଆହ୍ୱାନ ??
କିଏ ସେହି ସମୟ ବାହକ..
କାଳରୁ କାଳାତିତ ଦେଇ 
ଆଲୋଡିତ କରେ...
ସ୍ନିଗ୍ଧ ଶୀତଳ ଶୋଣିତ ???
ଶୁଣ ସର୍ବେ ଅମୃତ ସନ୍ତାନ
ପାଇଛି ମୁଁ 'ଆନନ୍ଦ' ସନ୍ଧାନ !!
ଜନ୍ମ -ମୃତ୍ୟୁ, ହସ କାନ୍ଦ ଦୁଃଖ ସୁଖ ଡେଇଁ
ଅଶରୀରି , ଜରାମୁକ୍ତ ଉଠିଛି
ମୁଁ ଚେଇଁ...........
ସତ୍ତା ମୋର ଭାସିବୁଲେ
ମହାଶୂନ୍ୟେ , ମହାନନ୍ଦେ
ସମାଧି ମୋ ଦୁରେ ଅଛି ଚାହିଁ।
ଏଇ ସେହି ସୂକ୍ଷ୍ମ ସତ୍ତା 
ଗ୍ରାସ କରେ ମୋ ଚିନ୍ତା ଚେତନା
ରୂପ ,ରଙ୍ଗ ,ରସ ,ଗନ୍ଧ 
ନାହିଁ ଦ୍ୱନ୍ଦ ... ନାହିଁ ଛନ୍ଦ
ସ୍ରଷ୍ଟା ମୁହିଁ ନିମଗ୍ନ ମୁଁ
ସୂକ୍ଷ୍ମ ସ୍ୱରୂପରେ....
ଜନ୍ମ ମୃତ୍ୟୁ କିଛି ମୁଁ ବୁଝେନା ।

ମନ ଶକ୍ତି ମନ ମୁକ୍ତି

ମନ....
କେବେ ସେ ପ୍ରସନ୍ନ
କେବେ ଉଦାସୀନ..!
କେବେ ଶଶକର ଗତି
କେବେ ସେ କଚ୍ଛପ ,
କେବେ ବୁଢିଆଣୀ ଜାଲ
କେବେ ସିକତା 'ର ସ୍ତୁପ..!!
ସଙ୍ଗୀତ ରଚେ ସେ କେବେ
ଶାନ୍ତି ରାଗ ତୋଳି,
ହୃଦୟ ଦହଇ  କେବେ
ତନୁ ଯାଏ ଜଳି ।
ଦିବ୍ୟ ଅନୁଭୂତି ଦିଏ
ସ୍ଵର୍ଗ ଲାଗେ ତୁଚ୍ଛ!! !!
ନର୍କ ଯନ୍ତ୍ରଣା ପାଇଁକି
କେବେ ସାଜଇ ପାବଚ୍ଛ  (!!)
ମନ'ର ଖେଳ ଚାଲଇ 
ମନ ରାଜା ପୁଣି ପ୍ରଜା ,
ମନ ଗୁରୁ ମନ ଶିଷ୍ୟ
ମନ ପାଏ ସର୍ବ ପୂଜା ।
ମନ ଗତି ମନ ସ୍ଥିତି
ଜାଣେ ଯେ ସେ ମହାମତି,
ମନ ହିଁ ଆଣେ ସଂପ୍ରୀତି
ମନ ଶକ୍ତି ମନ ମୁକ୍ତି ।

ଉଛୱାସିତ ସମ୍ବର୍ଦ୍ଧନା

ଉଛୱାସିତ ସମ୍ବର୍ଦ୍ଧନା
ଜାଗତିକ ମାର୍ମିକ ବେଦନା
ଉନ୍ମୋଚିତ କରେ ବେଳେ ବେଳେ
ଜୀବନର ପୃଷ୍ଠଭୂମି....
ସତ୍ତା ବିଭୂଷିତ ହୁଏ
ଅନୁବନ୍ଧିତ, ଅନୁରଣିତ ହୁଏ 
ଅନୁଗୃହୀତ ହୁଏ 
ବିଧିର ବିଡମ୍ବନାରେ ନନ୍ଦିତ ହୁଏ
ପ୍ରତିବିମ୍ବିତ ପ୍ରତ୍ୟାଶାର 
ନିବିଡ ସ୍ପର୍ଶରେ ..।
ଅନାଗତ  ଭବିଷ୍ୟତ
ଅନାହୁତ ଅତିଥି,
ପ୍ରୋଥିତ ପ୍ରଦର୍ଶନୀର ନୀରବ କ୍ରନ୍ଦନ
ଗୁଞ୍ଜରିତ ହୁଏ.....
ପ୍ରତ୍ୟେକଟି ହୃତ୍ କମ୍ପନରେ ।
ହାସ୍ୟରୋଳ , ଅଟହାସ୍ୟର
ମଧୁର ମୂର୍ଚ୍ଛନାରେ..
ଜଳିଉଠେ ସ୍ୱପ୍ନର ଇଂଗିତ..!!
ବାସ୍ତବ ବିଧ୍ୱସ୍ତ ହୁଏ 
କଳ୍ପନାର କାଳଫାଶୁ 
ଓଁ କାର ଧ୍ୱନୀ .......
ପ୍ରସ୍ଫୁଟିତ କରେ 
ପ୍ରଜ୍ବଳିତ କରେ
ନିଷ୍ପ୍ରାଣ, ନିଷ୍ପେସିତ, ନିର୍ଯ୍ୟାତିତ
ଜଡ଼ ଶରୀରକୁ ....
ସମ୍ୟକ୍ ଉଦ୍ବର୍ଦ୍ଧନାରେ  ।।

ବଞ୍ଚେ ମୁଁ ମୋ ନିଜ ପାଇଁ

କିଏ କହେ ମୁହିଁ   କାହାପାଇଁ ବଞ୍ଚେ
        ବଞ୍ଚେ ମୁଁ ମୋ ନିଜ ପାଇଁ ।
ମୋ ଗୁଣ ଦର୍ଶନ    କରେ ଯାହାଠାରେ
         ସେ ମୋର ପ୍ରିୟ ଅଟଇ ।।
ମୋର ସମ ଚିନ୍ତା    ସମ ଆଚରଣ
         ଆଚରି ଥାଏ ଯେ ନର ।
ତାହା ପାଇଁ ମୋର   ହୃଦଦ୍ୱାର ଖୋଲା
        ରହିଥାଏ ନିରନ୍ତର ।।
ହୁଅନ୍ତୁ ସେ ଆଲ୍ଲା      ଅବା ଯୀଶୁଖ୍ରୀଷ୍ଟ
          ରାମ, କୃଷ୍ଣ , ବୁଦ୍ଧ , ଜୈନ ।
ମହତକାଙ୍କ୍ଷା ମୋ      ପୂର୍ଣ୍ଣ ଯାହାଠାରେ
           ମୁଁ ନିଏ ତାଙ୍କ ଶରଣ ।।
ବେଦ , ବାଇବେଲ     ଗୀତା ବା କୋରାନ
          ମୋ ପାଖେ ସର୍ବ ସମାନ ।
ଶକ୍ତିମୟ ସ୍ରଷ୍ଟା           ସବୁଠାରେ ଦୃଷ୍ଟ
           କେହିନୁହେଁ  ବଡ଼ ସାନ  ।।
କର୍ମ କଷଣ ର        ରୁଦ୍ଧ କାରାଗାରେ
          ନଶ୍ୱର ଏ ମୋ ଶରୀର ।
ନବଦ୍ୱାର ଷଡ଼       ରିପୂ ଇନ୍ଦ୍ରିୟାଦି
          ଆଜ୍ଞାବହ ମୋ ଆତ୍ମା'ର ।।
ଧର୍ମ ମୋକ୍ଷ ନେଇ   ଧନ୍ଦାଳି ହୁଏନା
          ଜୀବନ ସ୍ରୋତ ଅକ୍ଷୟ ।
ବିଲୁପ୍ତି ବିକାଶ         ଅଟେ ଅପ୍ରକାଷ୍ୟ
         ମୋ ପାଇଁ ସଦା ଅଭୟ  ।।
ଶରୀରର ପୁନର୍ଜନ୍ମ    ନ ଘଟଇ 
          ଜନ୍ମ ହୁଏ ବିଚାର'ର ।
ବିଚାର ପଥରେ     ସାକ୍ଷୀ ହୁଅ ଥରେ 
       (ସାଜ) ଆନନ୍ଦର କର୍ଣ୍ଣଧାର  ।।
                    -ମୋ ଦୃଷ୍ଟିରେ ମୁଁ -

ତୁ ଗଲାପରେ

ତୁ ଗଲାପରେ...
ସବୁକିଛି ଚାଲିଛି
ଚିରାଚରିତ ଢ଼ଙ୍ଗରେ ,
ସେଇ ହସ ,ଲୁହ କୋହ
ଜନ୍ମ ମୃତ୍ୟୁ , ବିବାଦ ବିଚ୍ଛେଦ
କପଟ ପଶାପାଲିରେ
ଗୋଟିମାନେ ଅଭ୍ୟସ୍ତ..!
କ୍ଷଣିକ ବୁଝିଲେ ବି
ଧନ ଯୌବନର ଲୋଲୁପ ଆହ୍ୱାନ
ବଶୀଭୂତ ପତଙ୍ଗର ଆତ୍ମ ଦହନ
ଇଶାରା ଦେଇ ଚାଲିଛି
ଅସମାୟିତ ଅଂହତ୍ଵ ର
ଅନିର୍ଦ୍ଦିଷ୍ଟ ପଥ.... ।
ତଥାପି ଅପେକ୍ଷା... ତୋର
ମନଲୋଭା, ହୃଦଖୋଲା ହସ
ଦୁଃଖ ସାଉଁଟୁଥିବା ତୋ ଦରଦୀ କବିତା
ସୁମଧୁର କଣ୍ଠାସ୍ଵନ ...ଆଉ
ଆତ୍ମୀୟତାର ବିରଳ ଗୁଞ୍ଜରଣ ।
ଭାବିଥିଲି ମୋ ପରେ ତୁ
କିନ୍ତୁ ଏବେ..
ତୋ ପରେ ମୁଁ ହୋଇଗଲି ।
ଏଇତ  ....! ତୁ ମୋ ପାଖରେ! !!
ତୋ ଛାଇ...ତୋ ନିଃଶ୍ବାସ
ତୋ ସ୍ୱର ..... ତୋ ବିଶ୍ୱାସ
" ସାର... କାହିଁକି ଆପଣ ବ୍ୟସ୍ତ ?
ଏବେ ଦେଖନ୍ତୁ ମୁଁ ଛଳନାରୁ ମୁକ୍ତ
ସ୍ୱାର୍ଥନ୍ଵେଷୀ ସ୍ବଜାତି ଠାରୁ
ଅନେକ ଊର୍ଦ୍ଧ୍ୱରେ,
ଏକ ଉନ୍ମୁକ୍ତ ଦିବ୍ୟାତ୍ମା...
ଆପଣ କହିଲେ ସାର...,
ମୁଁ କ'ଣ ଆହୁରି ସୁଖରେ ଥିଲି!!..?"
ଅନ୍ତରାତ୍ମା ଭାରାକ୍ରାନ୍ତ ,
କେଉଁଟା ଠିକ୍ ,
କେଉଁଟା ଭୁଲ୍...(?)
ଜାଣିପାରେନି ବୋଲି ତ ସରେନି
ମଣିଷର ଦୁଃଖ ସଂଗ୍ରାମ
ଅମାନିଆ ଅଶ୍ରୂଧାର ଆଶ୍ୱାସନା ଦିଏ
ତୋ ସ୍ମୃତିଦୀପ କୁ ପ୍ରଜ୍ଜ୍ଵଳିତ କରି
ଗାଇଉଠେ....
"କେହି ରହିନାହିଁ   ରହିବେନାହିଁଟି
       ଭବରଙ୍ଗ ଭୂମି ତଳେ ।
ସର୍ବେ ନିଜନିଜ  ଅଭିନୟ ସାରି
     ବାହୁଡିବେ କାଳବଳେ ।। "
(ମୋ ପ୍ରିୟ ଛାତ୍ର ଆଶିଷ ଶତପଥୀ ର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ )