Tuesday, August 7, 2018

ତୁ ଗଲାପରେ

ତୁ ଗଲାପରେ...
ସବୁକିଛି ଚାଲିଛି
ଚିରାଚରିତ ଢ଼ଙ୍ଗରେ ,
ସେଇ ହସ ,ଲୁହ କୋହ
ଜନ୍ମ ମୃତ୍ୟୁ , ବିବାଦ ବିଚ୍ଛେଦ
କପଟ ପଶାପାଲିରେ
ଗୋଟିମାନେ ଅଭ୍ୟସ୍ତ..!
କ୍ଷଣିକ ବୁଝିଲେ ବି
ଧନ ଯୌବନର ଲୋଲୁପ ଆହ୍ୱାନ
ବଶୀଭୂତ ପତଙ୍ଗର ଆତ୍ମ ଦହନ
ଇଶାରା ଦେଇ ଚାଲିଛି
ଅସମାୟିତ ଅଂହତ୍ଵ ର
ଅନିର୍ଦ୍ଦିଷ୍ଟ ପଥ.... ।
ତଥାପି ଅପେକ୍ଷା... ତୋର
ମନଲୋଭା, ହୃଦଖୋଲା ହସ
ଦୁଃଖ ସାଉଁଟୁଥିବା ତୋ ଦରଦୀ କବିତା
ସୁମଧୁର କଣ୍ଠାସ୍ଵନ ...ଆଉ
ଆତ୍ମୀୟତାର ବିରଳ ଗୁଞ୍ଜରଣ ।
ଭାବିଥିଲି ମୋ ପରେ ତୁ
କିନ୍ତୁ ଏବେ..
ତୋ ପରେ ମୁଁ ହୋଇଗଲି ।
ଏଇତ  ....! ତୁ ମୋ ପାଖରେ! !!
ତୋ ଛାଇ...ତୋ ନିଃଶ୍ବାସ
ତୋ ସ୍ୱର ..... ତୋ ବିଶ୍ୱାସ
" ସାର... କାହିଁକି ଆପଣ ବ୍ୟସ୍ତ ?
ଏବେ ଦେଖନ୍ତୁ ମୁଁ ଛଳନାରୁ ମୁକ୍ତ
ସ୍ୱାର୍ଥନ୍ଵେଷୀ ସ୍ବଜାତି ଠାରୁ
ଅନେକ ଊର୍ଦ୍ଧ୍ୱରେ,
ଏକ ଉନ୍ମୁକ୍ତ ଦିବ୍ୟାତ୍ମା...
ଆପଣ କହିଲେ ସାର...,
ମୁଁ କ'ଣ ଆହୁରି ସୁଖରେ ଥିଲି!!..?"
ଅନ୍ତରାତ୍ମା ଭାରାକ୍ରାନ୍ତ ,
କେଉଁଟା ଠିକ୍ ,
କେଉଁଟା ଭୁଲ୍...(?)
ଜାଣିପାରେନି ବୋଲି ତ ସରେନି
ମଣିଷର ଦୁଃଖ ସଂଗ୍ରାମ
ଅମାନିଆ ଅଶ୍ରୂଧାର ଆଶ୍ୱାସନା ଦିଏ
ତୋ ସ୍ମୃତିଦୀପ କୁ ପ୍ରଜ୍ଜ୍ଵଳିତ କରି
ଗାଇଉଠେ....
"କେହି ରହିନାହିଁ   ରହିବେନାହିଁଟି
       ଭବରଙ୍ଗ ଭୂମି ତଳେ ।
ସର୍ବେ ନିଜନିଜ  ଅଭିନୟ ସାରି
     ବାହୁଡିବେ କାଳବଳେ ।। "
(ମୋ ପ୍ରିୟ ଛାତ୍ର ଆଶିଷ ଶତପଥୀ ର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ )

No comments:

Post a Comment