Tuesday, August 7, 2018

ବଞ୍ଚେ ମୁଁ ମୋ ନିଜ ପାଇଁ

କିଏ କହେ ମୁହିଁ   କାହାପାଇଁ ବଞ୍ଚେ
        ବଞ୍ଚେ ମୁଁ ମୋ ନିଜ ପାଇଁ ।
ମୋ ଗୁଣ ଦର୍ଶନ    କରେ ଯାହାଠାରେ
         ସେ ମୋର ପ୍ରିୟ ଅଟଇ ।।
ମୋର ସମ ଚିନ୍ତା    ସମ ଆଚରଣ
         ଆଚରି ଥାଏ ଯେ ନର ।
ତାହା ପାଇଁ ମୋର   ହୃଦଦ୍ୱାର ଖୋଲା
        ରହିଥାଏ ନିରନ୍ତର ।।
ହୁଅନ୍ତୁ ସେ ଆଲ୍ଲା      ଅବା ଯୀଶୁଖ୍ରୀଷ୍ଟ
          ରାମ, କୃଷ୍ଣ , ବୁଦ୍ଧ , ଜୈନ ।
ମହତକାଙ୍କ୍ଷା ମୋ      ପୂର୍ଣ୍ଣ ଯାହାଠାରେ
           ମୁଁ ନିଏ ତାଙ୍କ ଶରଣ ।।
ବେଦ , ବାଇବେଲ     ଗୀତା ବା କୋରାନ
          ମୋ ପାଖେ ସର୍ବ ସମାନ ।
ଶକ୍ତିମୟ ସ୍ରଷ୍ଟା           ସବୁଠାରେ ଦୃଷ୍ଟ
           କେହିନୁହେଁ  ବଡ଼ ସାନ  ।।
କର୍ମ କଷଣ ର        ରୁଦ୍ଧ କାରାଗାରେ
          ନଶ୍ୱର ଏ ମୋ ଶରୀର ।
ନବଦ୍ୱାର ଷଡ଼       ରିପୂ ଇନ୍ଦ୍ରିୟାଦି
          ଆଜ୍ଞାବହ ମୋ ଆତ୍ମା'ର ।।
ଧର୍ମ ମୋକ୍ଷ ନେଇ   ଧନ୍ଦାଳି ହୁଏନା
          ଜୀବନ ସ୍ରୋତ ଅକ୍ଷୟ ।
ବିଲୁପ୍ତି ବିକାଶ         ଅଟେ ଅପ୍ରକାଷ୍ୟ
         ମୋ ପାଇଁ ସଦା ଅଭୟ  ।।
ଶରୀରର ପୁନର୍ଜନ୍ମ    ନ ଘଟଇ 
          ଜନ୍ମ ହୁଏ ବିଚାର'ର ।
ବିଚାର ପଥରେ     ସାକ୍ଷୀ ହୁଅ ଥରେ 
       (ସାଜ) ଆନନ୍ଦର କର୍ଣ୍ଣଧାର  ।।
                    -ମୋ ଦୃଷ୍ଟିରେ ମୁଁ -

No comments:

Post a Comment